Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Sunday, January 1, 2023
ଶରଣ ପଞ୍ଜର
ଅସହାୟ ହୋଇ ପାଣ୍ଡଵ ଘରଣୀ
ଉର୍ଦ୍ଧ୍ୱେ ତୋଳିଲା ହେ ବେନି ଭୁଜ
କୃପା ପାରାବାର ସହନ୍ତ କିପରି
ତୁମ୍ଭେ ଯେ ଜଳୁ ଉଦ୍ଧାରିଲ ଗଜ [୧]
ପାଷାଣୀ ହୋଇ ଗୌତମ ନାରୀ
ତୋ ଚଲା ସରଣୀକୁ ଆଶ୍ରା କଲା
ତୋର ପାଦଧୂଳି ମୁକତି ପଶରା
ସେ ପାଦପଦ୍ମ ଲାଗି ନିସ୍ତରିଲା [୨]
ଭୋକ ବିକଳରେ ବନ୍ଧୁ ମହାନ୍ତି
ଟଙ୍କତୋରାଣିରେ ବଞ୍ଚେ ଦିନ
ଭକ୍ତ ଉଧାରଣ ବଳିୟାର ଭୁଜ
ଆପଣା ହସ୍ତେ ଭୁଞ୍ଜାଇଲୁ ଅନ୍ନ [୩]
କାତର ଆତୁର ଦେବକୀ ମାତା
ସାତ ସାତଟା ଗର୍ଭ ଥିଲା ଟେକି
ଜନ୍ମି ବନ୍ଦୀଘରେ ଆରତ୍ତ ନାଶନ
ଆର୍ତତ୍ରାଣ ଉଦ୍ଧରିଲୁ ନୀରୀମାଖି [୪]
ବଡ଼ ଦୀନହୀନ ରଘୁ ଅରକ୍ଷିତ
ତୋର ବିଶ୍ୱାସେ ଖାଇଲା ବିଶ
ଶରଣ ପଞ୍ଜର ଭକତ ତାରଣ
ବଞ୍ଚାଇ ରଖିଲ ହେ ଜଗଦୀଶ [୫ ]
ବାଳ ପ୍ରହଲ୍ଲାଦ ଆନ ନ ଜାଣଇ
ସେ ସଦା ହରି ନାରାୟଣ ଜପେ
ଯହିଁ ତୋ ନାମ ତହିଁ ତୋ ବାସ
ପିତାର ହୃଦ ବିଦାରିଲୁ କୋପେ [୬ ]
ଆକୁଳ ବିକଳ ଡାକକୁ ଶ୍ରୀହରି
ସର୍ବଦା ଶୁଣୁ ଥାଉ କାନ ଡେରି
ତୁ ଯାହାକୁ ରଖୁ କି ଅବା ମାରେ
କୃପାସିନ୍ଧୁ ଲୀଳା ତୋ ଅମୃତ ପରି [୭ ]
ଅବଳାଠାରୁ ମୁଁ ହୀନ ମହାବାହୁ
ଧାଇ ତୋ ପାଦପଦ୍ମ ବଞ୍ଚେ ଦିନ
ମରଣ କାଳରେ ଥିବ ଦୃଶ୍ୟପଟେ
ପ୍ରଭୁ ହେ ଏହି କଥାରେ ମୋ ମନ [୮]
Subscribe to:
Post Comments (Atom)

No comments:
Post a Comment