Om jay Jagannath. Divine grace composed many four line (four petals), and the unseen devotion is the fifth petal .These are saved in Chandan Argali and wating for the touch of Swami Jagannath
Friday, January 5, 2024
ପୁଷ୍ପାଞ୍ଜଳି
-----------------ପୁଷ୍ପାଞ୍ଜଳି------------------
ହିରଣ୍ୟକଶିପୁ ଦେଉଥିଲା ମରଣଠାରୁ ବଡ଼ କଷ୍ଟ
ପ୍ରହ୍ଲାଦକୁ ନିଜର ଜଙ୍ଘରେ ବସାଇ ଅଭୟ ଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧]
ଭୋଜ ରାଜ ବିଷ ପିଆଇଲା ରାଜ୍ୟରୁ ତଡିଲା
ମୀରାବାଇକୁ ତୋ ବୃନ୍ଦାବନରେ ଆଶ୍ରୟ ଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୨]
କଂସ ଗୋଟି ଗୋଟି କରି ସବୁ ସନ୍ତାନ ମାରିଲା
ଦେବକୀ ଗର୍ଭରେ ସ୍ୱୟଂ ନର ନାରାୟଣ ହେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୩]
କୌରବ କେତେ ଚେଷ୍ଟା କଲେ ଵିଵସ୍ତ୍ର କରିବେ
ପାଞ୍ଚାଳୀକୁ ଅତି ଘୋର ଲଜ୍ୟାରୁ ଉଦ୍ଧାର କଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୪]
ଅଶ୍ୱଥାମ୍ମା କ୍ଷେପିଲା ତୀର ଉତ୍ତରା ଗର୍ଭସ୍ଥ ଭୃଣକୁ
ପରିକ୍ଷିତଙ୍କୁ ଚକ୍ର ଉହାଡ଼ଳରେ ରକ୍ଷା କବଚ ହେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୫]
ଶଶୁର ଶାଶୁ ଶଳା ମଣ୍ଡା ପିଠାରେ ପୁରାଇଲେ ବିଷ
ରଘୁ ଅରକ୍ଷିତଙ୍କୁ ନେଇ ଶ୍ରୀକ୍ଷେତ୍ରରେ ଆଶ୍ରା ଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୬]
ଆବୁଲ ହାସନ ୧୨ ବର୍ଷ କାଳ କାରାବାସ ଦେଲା
ଗୋପନାକୁ ଆପଣେ ଅର୍ଥ ଦେଇ ମୁକୁଳାଇଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୭]
ଶ୍ରୀକ୍ଷେତ୍ର ପଣ୍ଡାଏ ଅସହ୍ୟ ଗାଳି କଲେ ପିଟିଲେ
ବନ୍ଧୁ ମହାନ୍ତିକୁ ଆପଣ ଭୋଗ ଥାଳି ଦେଇଥିଲେ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୮]
ବିଠଲା ଗହଣା ଚୋରି ପାଇଁ ଶୁଳି ହେଲା ନ୍ୟାୟ
ଜନା ବାଇ ରକ୍ଷା ପାଇଁ ସ୍ୱୟଂ ଆବିର୍ଭାବ ହେଲୁ
ତୋତେ ଉଦାର ପଣରେ କିଏ ସରି ହେବ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୯]
ଗୌତମ ଅଭିଶାପରେ ପଥେ ଅଲୋଡ଼ା ପାଷାଣୀ
ପାଦପଦ୍ମ ଛୁଆଁଇ ଅହଲ୍ୟାକୁ ଶାପମୁକ୍ତ କରିଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୦]
ସାଲବେଗ ହୃଦୟରେ ଏତେ ଭିଡିକି ବାନ୍ଧିଲା
ବଡଦାଣ୍ଡରେ ନନ୍ଦୀଘୋଷ ରଥ ରୋକି ଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ[୧୧]
ଶ୍ରୀବତ୍ସ ଦ୍ଵିଜ ବକ୍ଷରେ ବଜ୍ର ସମ ପାଦ ପ୍ରହାରିଲା
ବିଶାଳ ହିଆରେ କୋୖସ୍ତଭ ମଣି କରି ଲମ୍ବାଇଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୨]
କୌରବ କଲେ ଭୂମି ଶୁନ୍ୟ ପଂଡୁ ପୁଅ ବୋହୁ
ପାଞ୍ଚ ଖଣ୍ଡ ପଡ଼ା ପାଇଁ ଗଧ ପାଦକୁ ଧରିଥିଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୩]
ସାମ୍ବ ଗର୍ଭବତୀର ଛଳନା ଯଦୁବଂଶ ଧ୍ବଂସ କଲା
ପୁର୍ଣ ବ୍ରହ୍ମ ଅଜର ଅମର ଦେହ ବ୍ରହ୍ମଦାରୁ କଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୪]
ଶିଖିପୁଚ୍ଛ ଶୋଭିତ ଶିର ଦେବ ଦେବଙ୍କୁ ଦୁର୍ଲଭ
ମାନ ଭଞ୍ଜନ ଲାଗି ରାଧାର ପାଦ ଥୋଇଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୫ ]
ତୀକ୍ଷଣ କୁମ୍ଭୀର ଦାନ୍ତ ଜାବରେ ଗଜ କାନ୍ଦୁଥିଲା
ତେଜିଣ କମଳାର କୋମଳ ସେବା ଉଦ୍ଧରିଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୬]
କଳିଯୁଗରେ ଯେଉଁ ହାତ କେହି ନ ଦେଖିଲେ
ସେ ଶ୍ରୀହସ୍ତ ବଢ଼ାଇ ଦାସିଆର ନଡ଼ିଆ ନେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୭]
ବାର ବର୍ଷ କାଳ ଅଭୁକ୍ତ ରହିଲୁ ସହି ନିନ୍ଦା ଗାଳି
ଜଗନ୍ନାଥ ଯେଣୁ ଚଣ୍ଡାଳୁଣୀ ହାତ ରନ୍ଧା ଭୁଞ୍ଜିଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୮]
ବିଶ୍ଵାବସୁ ଶବର କନ୍ଦମୂଳରେ କି ଭକ୍ତି ଥିଲା
ତା ଝିଅ ଜୋଇଙ୍କୁ ସେବାର ସୁଯୋଗ ଦେଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୧୯]
ନାତୁଣୀ ବାହା ପାଇଁ ଝିଅଘର ଯୌତୁକ ଦାବି କଲେ
ନର୍ସି ମେହେଟା ଝିଅ ପାଇଁ ଶହେ ଭାର ବୋହିଥିଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୨୦]
ନିଜେ ନିଜର ଦୁଇ ହାତକୁ କାଟିଲେ ପତ୍ନୀକୁ ଛୁଇଁ
ପଙ୍ଗୁ ଗୋରା କୁମ୍ଭାର ଦେହରେ ହାତ ଲଗାଇଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [୨୧ ]
କାମ କ୍ରୋଧ ଲୋଭ କେତେ ପୀଡା ଦେଉଥିଲେ
ଏ ପତିତର ହୃଦୟ ପଦ୍ମରେ ସଦା ନିବାସ କଲୁ
ତୋତେ ଉଦାର ପଣରେ କିଏ ସରି ହେ ଗୋବିନ୍ଦ
ହରି ହେ ନୀଳଚକ୍ରରେ ପତିତପାବନ ଉଡ଼ାଇଲୁ [22]
Subscribe to:
Post Comments (Atom)

No comments:
Post a Comment